କାର୍ତ୍ତିକ
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି । ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଓ ପରବର୍ତ୍ତୀ ମାସ ମାର୍ଗଶୀର ।
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।
ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ।
ଏହା ଓଡ଼ିଆ ହିନ୍ଦୁମାନଙ୍କର ସପ୍ତମ ମାସ। ଏହା ଓ ଏହାର ପରବର୍ତ୍ତୀ ମାସ ହେମନ୍ତ ଋତୁ।
ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ । ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ “ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ ।
ପର୍ବପର୍ବାଣି
[ସମ୍ପାଦନା]କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବ ପର୍ବାଣିଗୁଡ଼ିକ ହେଲା:
- କୃଷ୍ଣ ଦ୍ୱାଦଶୀ: ଗୋବତ୍ସା ଦ୍ୱାଦଶୀ
- କୃଷ୍ଣ ତ୍ରୟୋଦଶୀ: ଧନ ତ୍ରୟୋଦଶୀ/ଧନ୍ୱନ୍ତରୀ ଜୟନ୍ତୀ
- କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ
- ଅମାବାସ୍ୟା: କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ
- ଶୁକ୍ଳ ଦ୍ୱିତୀୟା: ଯମଦ୍ୱିତୀୟା
- ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ
- ଶୁକ୍ଳ ପଞ୍ଚମୀ: ଲାଭ ପଞ୍ଚମୀ
- ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।
- ଶୁକ୍ଳ ନବମୀ: ଅଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ
- ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ଭୀଷ୍ମ ପଞ୍ଚକ
- ଶୁକ୍ଳ ଏକାଦଶୀ: ଦେବୋତ୍ଥାପନ ଏକାଦଶୀ/ ପ୍ରବୋଧିନୀ ଏକାଦଶୀ, ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
- ଶୁକ୍ଳ ଦ୍ୱାଦଶୀ: ଗରୁଡ଼ ଦ୍ୱାଦଶୀ,
ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ - ତ୍ରୟୋଦଶୀ: ବଡ଼ଓଷା,[୧]ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
- ଶୁକ୍ଳ ଚତୁର୍ଦ୍ଦଶୀ: ବୈକୁଣ୍ଠ ଚତୁର୍ଦ୍ଦଶୀ,
ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ - ମଳତିଥିରେ: ନାଗାର୍ଜୁନ ବେଶ
- କାର୍ତ୍ତିକ ପୂର୍ଣ୍ଣିମା: ରାସ ପୂର୍ଣ୍ଣିମା,
ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ
ଆଧାର
[ସମ୍ପାଦନା]- ↑ "ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା". www.dharitri.com. ଧରିତ୍ରୀ. Archived from the original on 28 November 2020. Retrieved 28 November 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |